ଦୁବାଇ: ଆଇସିସି ଟେଷ୍ଟ୍ ମାନ୍ୟତାର ଶୀର୍ଷ ସ୍ଥାନରେ ନ୍ୟୁଜଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ ଶୀର୍ଷ ସ୍ଥାନ ଅଧିକାର କରିନେଇଛନ୍ତି। ଚଳିତ ମାସରେ ପିତୃତ୍ବ ଅବକାଶରୁ ଫେରିବା ପରେ ୱିଲିୟମ୍ସନ୍ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଶତକ ଅର୍ଜନ କରିଥିଲେ। ତାଙ୍କ ମ୍ୟାଚ୍ ଶ୍ରେଷ୍ଠ ପାଳି ବଳରେ ନ୍ୟୁଜିଲାଣ୍ଡ୍ ପାକିସ୍ତାନକୁ ୧୦୧ ରନ୍ରେ ପରାସ୍ତ କରିଥିଲା। ଏହି ସଫଳତା ହିଁ ୱିଲିୟମ୍ସନ୍ (୮୯୦ ରେଟିଂ ପଏଣ୍ଟ୍)ଙ୍କୁ ଶୀର୍ଷ ମାନ୍ୟତାରେ ପହଞ୍ଚାଇ ଦେଇଛି। ଅବଶ୍ୟ କୋହଲି (୮୭୯) ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ (ଆଡିଲେଡ୍) ଟେଷ୍ଟ୍ରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋରର୍ ରହିଥିବାରୁ କୋହଲିଙ୍କ ମାନ୍ୟତା ଅପରିବର୍ତିତ ରହିଛି। କୋହଲିଙ୍କଠୁ ୨ ପଏଣ୍ଟ୍ କମ୍ ପାଇ ସ୍ମିଥ୍ (୮୭୭) ତୃତୀୟକୁ ଖସି ଯାଇଛନ୍ତି। ଭାରତ ବିପକ୍ଷ ଶୃଙ୍ଖଳାରେ ନୈରାଶ୍ୟଜନକ ପ୍ରଦର୍ଶନ ହିଁ ଆଇସିସି ମାନ୍ୟତାରେ ତାଙ୍କ ପତନର କାରଣ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଶତକୀୟ ପାଳି ଖେଳି ଭାରତକୁ ବିଜୟ ଭେଟି ଦେଇଥିବା କାମଚଳା ଅଧିନାୟକ ଆଜିଙ୍କ୍ୟ ରହାଣେ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ରହାଣେ (୭୮୪)ଙ୍କ କ୍ୟାରିୟର ଶ୍ରେଷ୍ଠ ମାନ୍ୟତାଠାରୁ ଗୋଟିଏ ତଳେ। ଗତବର୍ଷ ଅକ୍ଟୋବରରେ ସେ ପଞ୍ଚମରେ ପହଞ୍ଚିଥିଲେ। ଟେଷ୍ଟ୍ ବିଶେଷଜ୍ଞ ଚେତେଶ୍ବର ପୂଜାରା (୭୨୮) ଦୁଇଟି ସ୍ଥାନ ଖସି ଦଶମରେ ପହଞ୍ଚିଛନ୍ତି।
ମେଲ୍ବର୍ଣ୍ଣ ଟେଷ୍ଟ୍ରେ ଦମ୍ଦାର ପ୍ରଦର୍ଶନ ଯୋଗୁଁ ବୋଲରଙ୍କ ମାନ୍ୟତାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ (୭୯୩) ସପ୍ତମକୁ ଉଠିଥିଲା ବେଳେ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା (୭୮୩) ନବମ ସ୍ଥାନକୁ ଉଠି ଶୀର୍ଷ-୧୦ରେ ଉପସ୍ଥିତି ଜାହିର କରିଛନ୍ତି। ଅଶ୍ବିନ୍ ଦୁଇଟି ସ୍ଥାନ ଲମ୍ଫ ମାରିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ (୯୦୬) ବୋଲରଙ୍କ ମାନ୍ୟତାର ଶୀର୍ଷରେ ଅପରିବର୍ତିତ ଅଛନ୍ତି। ମିଚେଲ ଷ୍ଟାର୍କ ଦୁଇଟି ସ୍ଥାନ ଲମ୍ଫ ଦେଇ ଶୀର୍ଷ-୫ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ମେଲ୍ବର୍ଣ୍ଣ ଟେଷ୍ଟ୍ରେ ଅଲ୍ରାଉଣ୍ଡ ପ୍ରଦର୍ଶନ ଦେଇଥିବା ରବୀନ୍ଦ୍ର ଜାଦେଜା ଅଲ୍ରାଉଣ୍ଡର ମାନ୍ୟତାରେ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ତାଙ୍କ ରେଟିଂ ପଏଣ୍ଟ୍ ୪୧୬ ରହିଛି। ଏହି ତାଲିକାରେ ଅଶ୍ବିନ୍ (୨୮୫) ଷଷ୍ଠ ସ୍ଥାନରେ ଅଛନ୍ତି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0