ହାଟଡିହୀ : କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମଜୀବୀ ପରିବାରମାନଙ୍କୁ ଥଇଥାନ କରିବାକୁ ଅନେକ ଜନହିତକର ଯୋଜନା କରୁଛନ୍ତି |ସେମାନେ କିଭଳି ସ୍ୱାବଲମ୍ବୀ ହେବେ ସରକାର ସେ ଦିଗରେ ଚିନ୍ତା କରୁଥିବା ବେଳେ , କିନ୍ତୁ ତୃଣମୂଳରେ ପ୍ରଶାସନିକ ଅଧିକାରୀ , ଯନ୍ତ୍ରୀ ,ଗ୍ରାମସାଥି, ପଞ୍ଚାୟତ ସମ୍ପାଦକ ଓ ସରପଞ୍ଚମାନଙ୍କ ମଧୁ ଚନ୍ଦ୍ରିକାରେ ଲୁଟ ହେଉଛି ଲକ୍ଷ ଲକ୍ଷ ଟଙ୍କା |ଯାହାଫଳରେ ସରକାରଙ୍କ ଯୋଜନା ସଫଳ ହୋଇ ପାରୁନି |ଗ୍ରାମାଞ୍ଚଳରେ ଥିବା ଶ୍ରମଜୀବୀ ମାନେ ଆର୍ଥିକ ଅନାଟନ ସହ ଦୁଃଖ ଓ ହତାଶା ଭିତରେ ଦିନ କାଟୁଛନ୍ତି | ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଅନ୍ତର୍ଗତ ଇଂଚୋଳ ପଂଚାୟତରେ |ଏଠାରେ ମନରେଗା ଯୋଜନା ରେ ହେଉଥିବା କାର୍ଯ୍ୟ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ଓ ଜେସିବି ମେସିନ ସହାୟତାରେ ହେଉଛି |ଯାହାଫଳରେ ଶ୍ରମଜୀବୀମାନେ କାମଧନ୍ଦା ଅଭାବରୁ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣା ପଡିଛି | ସରକାରଙ୍କର ବିଭିନ୍ନ ଯୋଜନା ଯଥା ମୋ ବଗିଚା ,ମୋ ପୋଖରୀ, ଭୂ ଉନ୍ନୟନ ଆଦିରେ ବ୍ୟାପକ ଅନିୟମିତତା ସହ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତ୍ତିରେ ବଣ୍ଟନ ହେଉଛି | ଯାହାଫଳରେ ଯୋଗ୍ୟ ପ୍ରକୃତ ହିତାଧିକରି ମାନେ ଏଥିରୁ ବଂଚିତ ରହୁଛନ୍ତି |କିଛି ଅସାଧୁ କଥାକଥିତ କୁଜିନେତା ଲୋକଙ୍କ ଠାରୁ “କାର୍ଯ୍ୟ ପତ୍ର ” ଆଣି ସେଥିରେ ସମସ୍ତ କାମର ପଇସା ପକାଇବା ସହ ପତ୍ର ଧାରୀଙ୍କୁ ୨୦୦ ଲେଖାଏଁ ଦେଇ ବାକି ଚଳୁ କରୁଛନ୍ତି ବୋଲି ଶୁଣାଯାଉଛି | ରାଜନୀତିରେ ହିଂସାର ସ୍ଥାନ ନାହିଁ ,ଦୁର୍ନୀତି ବିକାଶର ବଡ ଶତ୍ରୁ ଓ ଉନ୍ନତି ର ବାଧକ ଏକଥା ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଥିବା ବେଳେ ଇଂଚୋଳ ପଞ୍ଚାୟତରେ ନିଜକୁ ପ୍ରତିପତ୍ତିଶାଳୀ ଓ ବାହୁବଳୀ ନେତା କହିବୁଲୁଥିବା ବଜ୍ର ଶଙ୍ଖ ଧାରୀ ନାତି ଟୋକା କିନ୍ତୁ ମାନିବାକୁ ନାରାଜ |ରାଜନୀତିକୁ ନିଜର ପୈତୃକ ସମ୍ପତି ଭଳି ବ୍ୟବହାର କରି ସର୍ବସାଧାରଣ ରେ ହିଂସା ଉସୁକେଇବା ସହ ଦୁର୍ନୀତି କରି ପକେଟ ପୂରେଇବାରେ ବ୍ୟସ୍ତ ରହୁଛନ୍ତି |ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଚାରଧାରା ବିପକ୍ଷରେ ଯାଉଛି | ଇଂଚୋଳ ପଂଚାୟତରେ ୨୦୨୦-୨୧ ବର୍ଷରେ ହୋଇଥିବା କାମ ମଧ୍ୟରେ ବାରିକ ମିସ୍ତ୍ରୀ ବନ୍ଧ ଠାରୁ କେନାଲ ବନ୍ଧ ରାସ୍ତା ,ସାପୁଆ ପୋଖରୀ ପଙ୍କୋଦ୍ଧାର,ଧୋବାଗଡିଆ ପୋଖରୀ ପଙ୍କୋଦ୍ଧାର , ଭୂତପଦା ରୁ ଧାନଘର ରାସ୍ତା , ଧୋବା ଗୋହିରୀ ରୁ କେନାଲ ବନ୍ଧ ରାସ୍ତା ,ଜୋରାଗଡ଼ିଆ ରୁ ବାବାଜୀ ରାଉତ ଘର ରାସ୍ତା ଓ ମୋରାଗାଡିଆ ର ପଙ୍କୋଦ୍ଧାର ପରି କାର୍ଯ୍ୟ କୁ ନିମ୍ନ ମାନର କରାଯାଇଥିବାର ଅଭିଯୋଗ ହେଉଛି | ଜନବସତି ଥିବା କୁଣ୍ଡିସାହି ଆଖଣ୍ଡଳମଣି ବସ୍ତିକୁ ରାସ୍ତା ନାହିଁ କିନ୍ତୁ ଜନବସତି ନଥିବା ଗୋଚର ଜମିରେ ସାପୁଆ ପଡିଆ ଭିତରେ ପଂଚାୟତର ଗୁରୁତ୍ୱପୂର୍ଣ (ଏସ .ଏଫ .ସି , ଓ ଟି .ଏଫ .ସି ) ଭଳି ପାଣ୍ଠିରେ ରାସ୍ତା ପକାଇବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ଏତାଦୃଶ କାର୍ଯ୍ୟରୁ ଶ୍ରମିକମାନେ କାମ ପାଉନଥିବାରୁ ବାଧ୍ୟହୋଇ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି |ଜିଲ୍ଲାପ୍ରଶାସନ ଓ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ସୁଚାରୁରୂପେ କାର୍ଯ୍ୟକରିବାକୁ ବୁଦ୍ଧିଜୀଵୀ ମହଲରେ ମତ ପ୍ରକାଶ ପାଉଥିବାବେଳେ ,ସରକାର ଏହାକୁ ଯଥା ଶୀଘ୍ର ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି |ଯଦି କିଛି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଯାଏ ତେବେ ପଞ୍ଚାୟତବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି |



Visitors Today : 3
Total Visitors : 130166
Total Views : 9891611
Visitors Online Now : 0