ଭାରତର ସର୍ବୋଚ୍ଚ ଡାକ୍ତରୀ ପ୍ରତିଷ୍ଠାନ ଦିଲ୍ଲୀସ୍ଥିତ ‘ ଏମ୍ସ୍’ର ଚରମ ଅବହେଳା କାରଣରୁ ଦୁଇଜଣ କୋଭିଡ୍-୧୯ ରୋଗୀଙ୍କର ଶବ ଅଦଳ ବଦଳ ହୋଇଯାଇଛି । ଫଳରେ ଏକ ହିନ୍ଦୁ ପରିବାର ସମସ୍ତ ରୀତିନୀତି ସହ ଜଣେ ମୁସଲମାନ ମହିଳାଙ୍କ ଶବ ସଂସ୍କାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ଜନିତ ସମସ୍ୟା କାରଣରୁ କୁସୁମଲତା ନାମ୍ନା ଜଣେ ୫୨ ବର୍ଷୀୟ ମହିଳା ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ୍ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ତାଙ୍କର କୋଭିଡ଼ ପଜେଟିଭ୍ ବାହାରିଥିଲା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଦିନ ଅନ୍ୟ ଜଣେ ମୁସଲମାନ ସଂପ୍ରଦାୟର କୋଭିଡ଼ ରୋଗୀଙ୍କର ମଧ୍ୟ ମୃତୁ୍ୟ ଘଟିଥିଲା । କିନ୍ତୁ ଚିକିତ୍ସାଳୟର ଅବହେଳା ନୀତିରେ ଦୁଇଜଣଙ୍କ ଶବ ବଦଳି ଯାଇଥିଲା । ତାପରଦିନ ତାଙ୍କ ପରିବାର ଲୋକଙ୍କୁ ଶବ ଅର୍ପଣ କରାଯାଇଥିଲା। ପରିବାର ଲୋକେ ଏସଂପର୍କରେ ଅବଗତ ନଥିବାରୁ ହିନ୍ଦୁ ପ୍ରଥା ଅନୁଯାୟୀ ପଞ୍ଜାବୀ ବାଗ ଶ୍ମଶାନରେ ଶବ ସତ୍କାର କରିଥିଲେ।
ପୁଣି ମଙ୍ଗଳବାର ସନ୍ଧ୍ୟାରେ ସେ ପରିବାରକୁ ଏମ୍ସ୍ରୁ ଫୋନ୍ ଆସିଲା ଯେ, ଭୁଲ୍କ୍ରମେ ସେମାନେ ଅନ୍ୟ ଜଣଙ୍କ ଶବ ଦେଇ ଦେଇଥିଲେ। ତାଙ୍କ ପରିବାର ସଦସ୍ୟଙ୍କ (କୁସୁମଲତା) ଶବ ଏବେ ମଧ୍ୟ ଡାକ୍ତରଖାନାରେ ଅଛି। ଅବାକ୍ ହୋଇଯାଇଥିବା ପରିବାରର ସଦସ୍ୟମାନେ ତୁରନ୍ତ ଏମ୍ସ୍ରେ ପହଞ୍ଚିଲେ ଓ ଶବ ଆଣି ସତ୍କାର କଲେ।
ପରେ ସରକାରୀ ଚିଠିରୁ ଜଣାପଡ଼ିଲା ଯେ, ପୂର୍ବରୁ କୁସୁମଲତାଙ୍କ ପରିବାରକୁ ଅର୍ପଣ କରାଯାଇଥିବା ଶବଟି ଥିଲା ବରେଲିବାସିନୀ ମୁସଲମାନ ମହିଳା ଅଞ୍ଜୁମ୍ଙ୍କ ଶବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0