କଟକ: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ପ୍ରଥମେ ଗଞ୍ଜାମ ପରେ ଖୋର୍ଦ୍ଧା ଥିଲା ହଟ୍ସ୍ପଟ୍ । କିନ୍ତୁ ଏବେ କଟକ ଚିନ୍ତା ବଢ଼ାଇଲାଣିି । କଟକ ବଡ଼ ମେଡ଼ିକାଲ ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଛି । କୋଭିଡ଼୍ ନିୟମ ଅନୁସାରେ ଚିକିତ୍ସା ଆରମ୍ଭ ପୂର୍ବରୁ କରୋନା ପରୀକ୍ଷା କରିବା ଜରୁରୀ । କିନ୍ତୁ ତୁରନ୍ତ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ କିଟ୍ ନାହିଁ । ଫ଼ଳରେ ରୋଗୀଙ୍କ ଆରଟିପିସିଆର ପରୀକ୍ଷା କରି ରିପୋର୍ଟକୁ ଅପେକ୍ଷା କରାଯାଉଛି । ଆରଟିପିସିଆର ରିପୋର୍ଟ ଆସିବାକୁ ପ୍ରାୟ ଗୋଟିଏ ଦିନ ଲାଗି ଯାଇଥାଏ । ତେଣୁ ଏଥିରୁ ଗୁରୁତର ରୋଗୀଙ୍କ ଅବସ୍ଥା ସହଜରେ ଅନୁମେୟ । କର୍ତ୍ତୃପକ୍ଷ ମଧ୍ୟ କିଟ୍ ଅଭାବକୁ ଏଥିପାଇଁ ଦାୟୀ କରିଛନ୍ତି ।
ଏସସିବି ସୁପର ସ୍ପେଶାଲିଟି ଆଉଟ୍ଡୋରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା । ରାପିଡ଼୍ କିଟ୍ ଅଭାବରୁ ପାଖାପାଖି ଶହେ ରୋଗୀଙ୍କର ସ୍ୱାବ୍ ପରୀକ୍ଷା କରାଯାଇଛି । ସ୍ୱାବ୍ ରିପୋର୍ଟ ଆସିବା ଯାଏ ରୋଗୀଙ୍କ ଚିକିତ୍ସା ଅଟକି ରହିବ । ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେବା ସହ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଅନ୍ୟପଟରେ କଟକରେ ୧୮ରୁ ଅଧିକ ଲ୍ୟାବ୍ ଓ ହସ୍ପିଟାଲକୁ ରାପିଡ଼୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଅନୁମତି ମିଳିଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା ପାଇଁ କୌଣସି ତାଲିମ୍ ଦିଆଯାଉନି କି କିଟ୍ ଅଭାବରୁ ପରୀକ୍ଷା ମଧ୍ୟ ହୋଇପାରୁନି । ଏ ସବୁ ଅବ୍ୟବସ୍ଥା ପ୍ରତି ସରକାର ଧ୍ୟାନ ଦେବାକୁ ଦାବି ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0